ବିଧାନସଭାରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି

ଭୁବନେଶ୍ୱର,୨୨/୦୯: ଆଗ୍ରାହ୍ୟ ହେଲା କଂଗ୍ରେସର ଅନାସ୍ଥା ପ୍ରସ୍ତାବ । ବିଧାନସଭାରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି ସୁରମା ପାଢ଼ୀ । କଂଗ୍ରେସ ନେତା ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ପାଇଁ ଚିଠି ଲେଖିଥିଲେ, ତାକୁ ବାଚସ୍ପତି ଗ୍ରହଣ କରିନାହାନ୍ତି । ଏହାର ପ୍ରତିବାଦରେ ଗୃହତ୍ୟାଗ କଲେ କଂଗ୍ରେସ ସଦସ୍ୟ ।
ଯାହାପରେ ସୋମବାର ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ । ଏହାସହ କଂଗ୍ରେସ ଅଭିଯୋଗ କରିଛି ଯେ, ବିଧାନସଭାରେ ଏହା ଏକ ଷଡଯନ୍ତ୍ର । ଜାଣିରଖିବା ଉଚିତ୍ ଯେ, ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା କଂଗ୍ରେସ । ଏନେଇ ବାଚସ୍ପତିଙ୍କୁ ଚିଠି ମଧ୍ୟ ଦେଇଥିଲେ କଂଗ୍ରେସ ନେତା । ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ଗୃହରେ ହୋ ହଲ୍ଲା କରିବା ସହ ବାରମ୍ବାର ଗୃହ ମୁଲତବି ହେଉଥିଲା । ତେଣୁ ଚର୍ଚ୍ଚା ହେଉଥିଲା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନପାରନ୍ତି । ଆଉ ସତକୁ ସତ ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି । ତେବେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଗ୍ରହଣ ନହେବା ପରେ କଂଗ୍ରେସ ନେତାମାନେ ବିଧାନସଭାରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । କଂଗ୍ରେସ ବିଧାୟକମାନେ ଗୃହତ୍ୟାଗ କରିବା ସହିତ ପ୍ରତିବାଦ କରିଛନ୍ତି ।