ବର୍ଷାରେ ଭିଜିବ କି ପୂଜା, ପଛକୁ ପଛ ଓଡ଼ିଶା ମୁହାଁ ୩ ଲଘୁଚାପ

ଭୁବନେଶ୍ୱର,୨୨/୦୯: ବର୍ଷାରେ ଭିଜିବ କି ପୂଜା। ପଛକୁ ପଛ ଓଡ଼ିଶା ମୁହାଁ ୩ ଲଘୁଚାପ, ଆସୁଛି ବଡ଼ ବର୍ଷା ।  ଉତ୍ତର ବଙ୍ଗୋପସାଗରରେ ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ । ଯାହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ବଜ୍ରପାତ ସହ ଅତିପ୍ରବଳ ବର୍ଷା ଲାଗିରହିବ । ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଭଦ୍ରକ, ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏ ଲଘୁଚାପ ଦୁର୍ବଳ ହେଲା ବେଳକୁ ଆଉ ଏକ ଲଘୁଚାପ ୨୫ ସେପ୍ଟେମ୍ବର ବେଳକୁ ଦାନା ବାନ୍ଧୁଛି । ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ।  ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୨୪ ସେପ୍ଟେମ୍ବର ସୁଦ୍ଧା ଉପକୂଳକୁ ଫେରିବାକୁ ସତର୍କ କରାଯାଇଛି । ମାସ ଶେଷ ବେଳକୁ ଦକ୍ଷିଣ ଚୀନ ସାଗରରୁ ଏକ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି କରିବା ସମ୍ଭାବନା ଅଛି ।