ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୦୮: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ପହଂଚି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ପଟ୍ଟନାୟକ ସୁସ୍ଥ ହୋଇ ମେଡିକାଲରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ପହଂଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ସହ ମନଖୋଲି କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପହଞ୍ଚୁ ପହଞ୍ଚୁ କରମର୍ଦ୍ଦନ କରି ସ୍ବାଗତ କରିଥିଲେ ନବୀନ । ସାମ୍ନା ସାମ୍ନି ହୋଇ ବସି ଡ୍ରଇଂ ରୁମରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା କରିଛନ୍ତି ଉଭୟ ନେତା । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଉତ୍ତରରେ ବିରୋଧୀ ଦଳ ନେତା କହିଥିଲେ, ସୁସ୍ଥ ଅନୁଭବ କରୁଛି ।

ଡିହାଇଡ୍ରେସନ କାରଣରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ସେ ନବୀନ ନିବାସ ଫେରିଛନ୍ତି । ସେବେଠାରୁ ଦଳମତ ନିର୍ବିଶେଷରେ ଅନେକ ନେତା ଓ ସମର୍ଥକ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।