ନବରଙ୍ଗପୁର ନର୍ସିଂ ଛାତ୍ରୀଙ୍କ ମୃତ ଘଟଣା, ବିଜେଡି ପକ୍ଷରୁ ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା

ଭୁବନେଶ୍ୱର,୧୧/୦୮: ନବରଙ୍ଗପୁରରେ ପହଁଚିଲା ମୃତ ନର୍ସିଂ ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱର ଏମ୍ସ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ନର୍ସି ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ ପରେ ରାଜନୀତି ଜୋର ଧରିଛି । ପୀଡିତାଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ବିଜେଡି ପକ୍ଷରୁ ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦିଆଯାଇଛି । ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି । ଦଳ କହିଛି ଦିନକୁ ଦିନ ରାଜ୍ୟରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି । ଓଡ଼ିଶା ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହାକୁ ନେଇ ଆଜି ବନ୍ଦ ଡାକରା ଦେଇଛି ବିଜେଡି । ଯେତେ ଦିନ ପର୍ଯ୍ୟନ୍ତ ଏହି ରାଜ୍ୟର ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବନ୍ଦ ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ୍‌, ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜରୁରୀକାଳୀନ ସେବା ଯେପରିକି ‘ଅଗ୍ନିଶମ ସେବା, ଆମ୍ବୁଲାନ୍ସ୍‌ ସେବା ବନ୍ଦ ହେବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।