ନୂଆଦିଲ୍ଲୀ,୦୯/୦୮ : ରୁଷ ଓ ଆମେରିକା ମଧ୍ୟରେ ଆସନ୍ତା ୧୫ ରେ ଆଲାସ୍କାରେ ଏକ ବୈଠକ କରିବାକୁ ହୋଇଥିବା ସହମତିକୁ ସ୍ବାଗତ କରିଛି ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ଶେଷ ହେବାର ରାସ୍ତା ଖୋଲିବାର ସମ୍ଭାବନା ରହିଛି ବୋଲି ଭାରତ କହିଛି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହି ଆଲୋଚନାକୁ ସ୍ବାଗତ କରାଯାଇଛି । ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ “ଏହି ବୈଠକ ୟୁକ୍ରେନରେ ଚାଲିଥିବା ସଂଘର୍ଷର ଅନ୍ତ ଆଣିବା ଏବଂ ଶାନ୍ତିର ସମ୍ଭାବନା ଖୋଲିବାର ପ୍ରତିଶ୍ରୁତି ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର କହିଛନ୍ତି, “ଏହା ଯୁଦ୍ଧର ଯୁଗ ନୁହେଁ”। ତେଣୁ ଭାରତ ଆଗାମୀ ଶିଖର ସମ୍ମିଳନୀ ବୈଠକକୁ ସମର୍ଥନ କରେ ଏବଂ ଏହି ପ୍ରୟାସଗୁଡ଼ିକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି।”