ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ଦେହାନ୍ତ

ଭୁବନେଶ୍ୱର,୦୭/୦୮: ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଓ ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ୧୯୮୦, ୧୯୮୫ ଓ ୧୯୯୫ରେ ତିନିଥର ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ ଖଣ୍ଡପଡ଼ା ଗଡ଼ର ରାଜା ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସେ ବିଶେଷ କରି କଂଗ୍ରେସ ପାର୍ଟି ସହ ଜଡିତ ଥିଲେ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ‌ଲେଖିଛନ୍ତି, ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକା ପ୍ରକାଶ କରି କହିଛନ୍ତି, ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।