ଅପରିବର୍ତ୍ତିତ ରହିଲା ରେପୋ ରେଟ୍, ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା

ନୂଆଦିଲ୍ଲୀ,୦୬/୦୮: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବ ଭଳି ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ମନିଟାରି ପଲିସି କମିଟି (ଏମପିସି)ର ତିନି ଦିନିଆ ବୈଠକ ପରେ, ଆଜି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଗତ ଏମପିସି ବୈଠକରେ, ରେପୋ ହାର ୫୦ବେସିସ୍ ପଏଣ୍ଟ (ବିପିଏସ୍) ହ୍ରାସ କରାଯାଇଥିଲା। ଫେବ୍ରୁଆରି ଏବଂ ଏପ୍ରିଲରେ ମଧ୍ୟ ଆରବିଆଇ ରେପୋ ହାର ୨୫-୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା। ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ। ଯେତେବେଳେ ରେପୋ ହାର କମ୍ ଥାଏ, ବ୍ୟାଙ୍କଗୁଡ଼ିକ ପାଇଁ ଋଣ ନେବା ଶସ୍ତା ହୋଇଯାଏ ଏବଂ ସେମାନେ ଗ୍ରାହକମାନଙ୍କୁ କମ ସୁଧ ହାରରେ ଋଣ ଦେଇପାରନ୍ତି। ରେପୋ ହାର ହ୍ରାସ ଯୋଗୁଁ ଗୃହ ଏବଂ କାର ଋଣ ଭଳି ଋଣ ଶସ୍ତା ହୋଇଯାଏ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ଏମପିସି ସର୍ବସମ୍ମତିକ୍ରମେ ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ବର୍ଷ ଆରମ୍ଭରେ ଏହାକୁ ୧୦୦ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା। ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି।