ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ଅନୁମୋଦନ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୦୫: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ସାମାଜିକ ଓ ଆର୍ଥିକ ଭାବେ ପଛୁଆ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ ଓ ଚାକିରି କ୍ଷେତ୍ରରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଅନୁସୂଚିତ ଜାତି ଓ ଜନଜାତି ପାଇଁ ଯାହା ସଂରକ୍ଷଣ ବ୍ୟବସ୍ଥା ଥିଲା ରହିବ।

ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ। ଯୋଜନା ଅଧୀନରେ ସହାୟତା ବୃଦ୍ଧି କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ୧୬୨୩ କୋଟି ୧୦ ଲକ୍ଷ ଅନୁମୋଦନ କରାଯାଇଛି। କେନ୍ଦୁଝର ଜିଲ୍ଲାରେ ଧରଣୀଧର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପାଇଁ ଜମି ଲିଜ ଆକାରରେ ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଯଶିପୁର ବ୍ଲକରେ ବ୍ୟାରେଜ ନିର୍ମାଣ ହେବ। ଏଥି ପାଇଁ ୯୭କୋଟି ଟଙ୍କାର ଟେଣ୍ଡର ପ୍ରଦାନ କରାଯାଇଛି। ଆଗାମୀ ୩୦ ମାସ ମଧ୍ୟରେ ସରିବ ପ୍ରକଳ୍ପର ନିର୍ମାଣ କାମ।

Leave a Reply

Your email address will not be published. Required fields are marked *