ନୂଆଦିଲ୍ଲୀ,୧୨/୦୫: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ।
ସେ ଏହା ମଧ୍ୟ କହିଛନ୍ତି, “ମୁଁ ପ୍ରଥମେ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍ କରୁଛି ବୀର ଯବାନମାନେ ଅପରେସନ ସିନ୍ଦୂର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅସୀମ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ମୁଁ ସେମାନଙ୍କ ବୀରତା ସାହସକୁ ଦେଶର ପ୍ରତ୍ୟେକ ମାଆ ଓ ଝିଅକୁ ସମର୍ପଣ କରୁଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀମାନେ ଯେଉଁ ବର୍ବରତା ଦେଖାଇଥିଲେ, ତାହା ବିଶ୍ୱକୁ ଦୋହଲାଇ ଦେଇଥିଲା । ନିର୍ଦ୍ଦୋଷଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ ଆତଙ୍କୀ । ଏହି ହତ୍ୟାକାଣ୍ଡ ଆତଙ୍କବାଦର ବୀଭତ୍ସ ଚେହେରା ଥିଲା । ଦେଶ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ । ମୋ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶବାସୀ, ପ୍ରତ୍ୟେକ ବର୍ଗ ଓ ରାଜନୈତିକ ଦଳ ଏକସ୍ୱରରେ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଠିଆ ହୋଇଛନ୍ତି । ଆମେ ଆତଙ୍କୀଙ୍କୁ ମାଟିରେ ମିଶାଇବାକୁ ଭାରତୀୟ ସେନାର ହାତ ଖୋଲି ଦେଇଥିଲୁ । ଆଜି ପ୍ରତ୍ୟେକ ଆତଙ୍କୀ ସଂଗଠନ ଜାଣିଲା, ଆମ ଝିଅଙ୍କ ମଥାରୁ ସିନ୍ଦୂର ପୋଛିବାର ପରିଣାମ କଣ । ‘ଅପରେସନ ସିନ୍ଦୂର’ କେବଳ ଗୋଟିଏ ନାଁ ନୁହେଁ, ଏହା କୋଟିକୋଟି ଦେଶବାସୀଙ୍କ ଭାବନାର ପ୍ରତିବିମ୍ବ । ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ମେ ୬ ତାରିଖ ରାତି ଓ ମେ ୭ ସକାଳୁ ଏହି ପ୍ରତିଜ୍ଞା ପରିମାଣର ରୂପ ନେଉଥିବା ଦେଖିଥିଲା ସାରା ବିଶ୍ୱ ।