ଭୁବନେଶ୍ୱର,୧୯/୧୧: ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ପୁଲିସ, ସିଆର୍ପିଏଫ୍ ଓ ବିଏସ୍ଏଫ୍ର ଗୋଟିଏ ପରେ ଗୋଟିଏ ମିଳିତ ଅପରେସନ୍କୁ ସାମନା କରିବା ମାଓ ନେତାଙ୍କୁ ଭାରି ପଡ଼ୁଛି । ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଧରଣର ଅପରେସନ । ୨ ଦିନରେ ସଫା ହେଲେଣି ୧୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ପୋଲିସ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡ଼ମିଲ୍ଲୀ ଜଙ୍ଗଲରେ ଆଜି ପୁଣି ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ଗତକାଲି ଏହି ଜଙ୍ଗଲରେ ଏନକାଉଣ୍ଟର ବେଲେ ଟପ ମାଓନେତା ହିଡମା ସମେତ ୬ ମାଓବାଦୀ ନିପାତ ହୋଇଥିଲେ । ଘଟଣା ସ୍ଥଳରେ ଏବେ ବି ଗୁଳିବିନିମୟ ଜାରି ରହିଛି। ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।
ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲା ପୋଲିସ ଦ୍ବାରା ୫୦ ନକ୍ସଲ ଗିରଫ ହୋଇଥିବା ସୂଚନା ମିଳିଛି । କ୍ରିଷ୍ଣା ଜିଲ୍ଲାରେ ୨୮, ଏଲୁରରେ ୧୫, ଏନ୍ଟିଆର୍ ଜିଲ୍ଲାରେ ୪ ଗିରଫ ହୋଇଛନ୍ତି । ଗିରଫ ନକ୍ସଲ ଛତିଶଗଡ଼ର ବିଜାପୁର, ସୁକ୍ମା ଓ ନାରାୟଣପୁର ଜିଲ୍ଲାର ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଶୀର୍ଷ ନେତା, ପ୍ଲାଟୁନ୍ ସଦସ୍ୟ ଓ ପାର୍ଟି ମେମ୍ବର ଅଛନ୍ତି ।