ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ୧୪ ମାଓବାଦୀ ସଫା

ଭୁବନେଶ୍ୱର,୦୩/୦୧: ଛତିଶଗଡ଼ରେ ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଦୁଇଟି ପୃଥକ ଏନକାଉଣ୍ଟରରେ ମୋଟ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲା କିଷ୍ଟରାମ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ୧୨ ଜଣ ଏବଂ ବିଜାପୁରର ଦକ୍ଷିଣ ବସ୍ତର ଜଙ୍ଗଲରେ ଅନ୍ୟ ୨ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଉଭୟ ସ୍ଥାନରେ ଏବେ ବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ୟପଟେ, ମାଓ ଦମନ ଅଭିଯାନ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲରେ ‘ଅପରେସନ ଖାତ୍‌ମା’କୁ ଜୋରଦାର କରାଯାଇଛି । ମାଓବାଦୀଙ୍କ ଏହି ପ୍ରମୁଖ ଗଡ଼କୁ ବର୍ତ୍ତମାନ ପ୍ରାୟ ୧୦ ହଜାର ସୁରକ୍ଷାକର୍ମୀ ଘେରି ରହିଛନ୍ତି । ମିସିର ବେସରା, ମଛୁ, ଅସୀମ ଦା ଏବଂ ଅନଲ ଦା’ଙ୍କ ଭଳି ଶୀର୍ଷ ମାଓ ନେତାଙ୍କୁ କାବୁ କରିବା କିମ୍ବା ଏନକାଉଣ୍ଟର କରିବା ଏହି ବିଶାଳ ଅଭିଯାନର ମୁଖ୍ୟ ଲକ୍ଷ୍ୟ ।