ଗୁଜରାଟରେ ପୋଲ ଭୁଶୁଡିବା ଘଟଣା, ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ,୧୧/୦୭: ଗୁଜରାଟର ମହୀସାଗର ନଦୀ ଉପରେ ଥିବା ପୁରୁଣା ପୋଲ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବୁଧବାର ରାତିରେ ଆଉ ଦୁଇଟି ଶବ ଉଦ୍ଧାର ହୋଇଛି । ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ, ଦୁଇଟି ପିକଅପ ଭ୍ୟାନ ଓ ଏକ ଅଟୋରିକ୍ସା ନଦୀକୁ ଖସି ପଡ଼ିଥିଲା । ଏନଡିଆରଏଫ୍‌ ଓ ଏସଡିଆରଏଫ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଞ୍ଚ ଜଣ ଆହତଙ୍କୁ ବଡୋଦରାର ଏସଏସଜି ହସ୍ପିଟାଲରେ ଚିକିତ୍ସା କରାଯାଉଛି, ତେବେ କେହି ଗୁରୁତର ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ପୋଲ ଭୁଶୁଡ଼ିବାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।